hindustantimes
ନୂଆଦିଲ୍ଲୀ: ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରୋଗୀମାନଙ୍କ ଏକ ଗୋଷ୍ଠୀ ପାଇଁ ଲାଭଦାୟକ ନୁହେଁ ବୋଲି ଆମେରିକାର ଏକ ଅଧ୍ୟୟନରୁ ଜଣାପଡିଥିଲେ ମଧ୍ୟ ଭାରତରେ କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ଏହାର ବ୍ୟବହାର ଜାରି ରହିବ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଜଣେ ଅଧିକାରୀ କହିଛନ୍ତି।
“ଆମେ ଆମର ନିଜସ୍ୱ ତଥ୍ୟ ସୃଷ୍ଟି କରୁଛୁ ଏବଂ ଆମେ ନିଜ ଫଳାଫଳ ଅନୁଯାୟୀ ନିଷ୍ପତ୍ତି ନେବୁ। ଏହାର ଚିକିତ୍ସା ବ୍ୟବହାର ଯାଞ୍ଚ କରିବା ପାଇଁ ପ୍ରାୟ ୨ରୁ ଅଢ଼େଇ ମାସ ଲାଗିବ, ଯାହା ଆମକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର କରିବା ଉଚିତ କି ନାହିଁ ଜଣାଇବ | ଏହି ପର୍ଯ୍ୟାୟରେ କିଛି କହିବା ଠିକ ହେବ ନାହିଁ, ଯଦିଓ ଆମେ ଅନ୍ୟ ଦେଶରୁ ଆସୁଥିବା ସମସ୍ତ ତଥ୍ୟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛୁ ବୋଲି ପରିଚୟ ଦେବାକୁ ଚାହୁଁ ନ ଥିବା ଆଇସିଏମ୍ଆରର ଅଧିକାରୀ କହିଛନ୍ତି।
ସୂଚନା ମୁତାବକ, ଆମେରିକାର ଅଧ୍ୟୟନରେ ଏପ୍ରିଲ ୧୬ରେ ସାର୍ବଜନୀନ କରାଯାଇଥିଲା ଯେ, ଅନୁସନ୍ଧାନକାରୀମାନେ ଭେଟେରାନ୍ସ ହେଲଥ ଆଡମିନିଷ୍ଟ୍ରେସନ ମେଡିକାଲରେ କରୋନାଭାଇରସ ସଂକ୍ରମଣ ଥିବା ୩୬୮ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କ ଚିକିତ୍ସା ରେକର୍ଡ ବିଶ୍ଳେଷଣ କରିଥିଲେ। ଏହି ରୋଗୀମାନଙ୍କ ମଧ୍ୟରୁ ପ୍ରାୟ ୨୮%, ଯେଉଁମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏବଂ ସାଧାରଣ ଯତ୍ନ ନେଉଥିଲେ, ସେମାନଙ୍କ ମୃତ୍ୟୁ ଘଟିଛି | ଅନ୍ୟପକ୍ଷରେ, ୧୧% ରୋଗୀ, ଯେଉଁମାନେ କେବଳ ନିତ୍ୟ ବ୍ୟବହାର୍ଯ୍ୟ ଯତ୍ନ ନେଉଥିଲେ, ସେମାନେ ଏହି ସଂକ୍ରମଣରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ।
ତେବେ ସୁଇଜରଲାଣ୍ଡ ଭିତ୍ତିକ ଔଷଧ ନିର୍ମାତା କମ୍ପାନି ନୋଭାର୍ଟିସ୍ କିଛି ଦିନ ପୂର୍ବରୁ ଘୋଷଣା କରିଥିଲା ଯେ, ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବା ପାଇଁ ଆମେରିକାର ଏଫଡିଏ ସହିତ ଏକ ଚୁକ୍ତି ହୋଇଛି, ଯେଉଁଥିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ-୧୯ରୋଗୀଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍କୁ ବ୍ୟବହାର କରାଯିବ | ଏଥିପାଇଁ ପ୍ରାୟ ୪୪୦ରୋଗୀଙ୍କ ଉପରେ ପରୀକ୍ଷା କରାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଥିଲା।
Follow Us